ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକୋତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ସ୍ଥାନୀୟ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଜିଲ୍ଲାର ଭକ୍ତ ଗୋଷ୍ଠୀମାନଙ୍କ ଦ୍ୱାରା ଠାକୁରଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ଏ ବର୍ଷ ଡିସେମ୍ବର ମାସ ୨୩, ୨୪ ଓ ୨୫ ତାରିଖ ୩ଦିନ ଧରି ପାଳିତ ହେବା ପାଇଁ ଉକ୍ତ ସଭାରେ ସ୍ଥିର କରାଗଲା ।

ଉକ୍ତ ୩ଦିନରେ ଶାନ୍ତିଧାମ କରମଳା ଆଶ୍ରମର ସାଧୁ ସନ୍ୟାସୀମାନେ ଯୋଗଦେଇ ସନାତନ ଧର୍ମ, ଭକ୍ତି ଯୋଗ, ଧ୍ୟାନ ଯୋଗ, ସମର୍ପଣ ଯୋଗ, ଭଗବତ ତତ୍ୱ, ଗୁରୁତତ୍ୱ ପ୍ରଭୃତି ଉପରେ ପ୍ରବଚନ ମାଧ୍ୟମରେ ବିଶଦ୍ଭାବେ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ଠାକୁରଙ୍କ ଏକ ବିରାଟ ପ୍ରତିମୂର୍ତୀକୁ ଭଜନ କୀର୍ତନ ସହିତ ସହର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏଥିପାଇଁ ଆସନ୍ତା ଅକ୍ଟୋବର ମାସ ୮ ତାରିଖରେ ଶାନ୍ତଧାମ, କରମଳା ଆଶ୍ରମକୁ ଆଜ୍ଞାମାଳ କାର୍ଯ୍ୟକର୍ତାମାନେ ଆଣିବା ପାଇଁ ଜିଲ୍ଲାସ୍ତରୀୟ ଭକ୍ତଗୋଷ୍ଠୀ ତରଫରୁ ନିଷ୍ପତି ନିଆଯାଇଛି ।

ଉକ୍ତ ସଭାଟି ଜିଲ୍ଲା ସଭାପତି ସୁଧାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ଉପସଭାପତି ରାଧା ବଲ୍ଲଭ ରାୟ, ସଂପାଦକ ହୃଦାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ଅବନୀ କୁମାର ରାଉଳ, ଯୁଗ୍ମ ସଂପାଦକ ରତିକାନ୍ତ ବେହେରା, ସହ-ଉପଦେଷ୍ଟା ରବିନ୍ଦ୍ର କୁମାର ଗଣ୍ଠିଆଙ୍କ ସମେତ ଜିଲ୍ଲାରୁ ପ୍ରାୟ ୫୭ଟି ଗ୍ରାମର ଭକ୍ତ ଭାଇଭଉଣୀମାନେ ଯୋଗଦେଇ ପ୍ରସ୍ତୁତି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments (0)
Add Comment