ପାଚିକା ସହାୟିକା ସଂଘର ବୈଠକ

ଢେଙ୍କାନାଳ : ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଗତ ତା.୦୯.୦୮.୨୦୨୩ରିଖରେ ହୋଇଯାଇଥିବା ଆନ୍ଦୋଳନର ସମୀକ୍ଷା କରାଯାଇଥିଲା ।

ପାଚିକା ସହାୟିକାଙ୍କର ମଜୁରୀ ବୃଦ୍ଧି ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ, ପାଚିକା ସହାୟିକାମାନଙ୍କୁ ଶ୍ରମିକର ମାନ୍ୟତା, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକାମାନଙ୍କୁ ଦେବା ଅବସର ପରେ ଶିକ୍ଷା ବିଭାଗ ପକ୍ଷରୁ ପେନ୍‌ସନ୍‌ ପ୍ରଭୃତି ବିଭିନ୍ନ ଦାବୀ ନେଇ ଆସନ୍ତା ତା୨୭.୦୯, ୨୦୨୩ରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା କରାଯିବାକୁ ରାଜ୍ୟ କମିଟି ବୈଠକରେ ନିଷ୍ପତି ନିଆଯାଇଛି ।

ଏହାକୁ ସଫଳ କରିବାକୁ ଉକ୍ତ ୨୭ ତାରିଖ ଦିନ ଜିଲ୍ଲାର ମଧ୍ୟାହ୍ନ ଭୋଜନ କାର୍ଯ୍ୟ ବନ୍ଦ ରହିବ । ଏସ୍.ଏମ୍.ସି. ବା ସ୍କୁଲ୍ ପରିଚାଳନା କମିଟିର ସଭାପତି ଏବଂ ସଭ୍ୟମାନେ ପାଚିକାମାନଙ୍କୁ ବାହାର କରିଦେବାକୁ ଧମକ ଦେଉଥିବା ଦୃଷ୍ଟି ଗୋଚର ହେବା ପରେ ସଂଘ ଏହା ଉପରେ ଉଦ୍‌ବେଗ ପ୍ରକାଶ କରୁଛି । ଏହା ଉପରେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଦୃଷ୍ଟି ଦେବାକୁ ଅବଗତ କରୁଛୁ ।

ସେହିପରି କେତେକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ, ପାଚିକା ସହାୟିକା ପ୍ରତି ପାତର ଅନ୍ତର ମନୋଭାବ ପ୍ରଦର୍ଶନ କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଆଉ କେତେକ ବିଦ୍ୟାଳୟରେ ରୋଷେଇ କରିବାରେ ଅସୁବିଧା ଦେଖାଦେଇଛି, ଏପରିକି ବର୍ଷାଦିନେ କାଠରୁ ଅତ୍ୟଧିକ ଧୂଆଁ ବାହାରୁ ଥିବାରୁ ପାଚିକାମାନେ ଅସୁସ୍ଥ ହୋଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ଧୂଆଁ ଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ଯଦିଓ କେତେକ ବିଦ୍ୟାଳୟର ସମସ୍ୟା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ବହୁ ବିଳମ୍ବ ହେଉଥିବା ଦୃଷ୍ଟିକୁ ଆସୁଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଉଛି । ଉକ୍ତ ଆନ୍ଦୋଳନ ନେଇ ମିଳିତ ମଂଚ ପକ୍ଷରୁ ବିଧ୍ଵବଦ୍ଧ ଭାବରେ ୧୩ ତାରିଖରେ ଘୋଷଣା କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ ।

ପାଇନଥିବା ୨୮ ମାସର ବକେୟା ଅର୍ଥର ତଦନ୍ତ କରି ପାଚିକା ସହାୟିକାମାନଙ୍କୁ ଦେବା ପାଇଁ ଶିକ୍ଷାଧ୍ୟାକାରୀମାନଙ୍କୁ ନିବେଦନ କରାଯାଇଥିଲା । ଉକ୍ତ ବୈଠକରେ ରସ୍ମିତା ଦେହୁରୀ, ରୀନା ରାଉତ, ଲକ୍ଷ୍ମୀପ୍ରିୟା ସାହୁ, ରଞ୍ଜିତା ସାହୁ, ରେବତୀ ଦାସ, କାଂଚନ ବେହେରା, ଶୁଭାସିନୀ ବେହେରା, ଶାନ୍ତିଲତା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Comments (0)
Add Comment