ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସର ଉତ୍ସବ ଶୁଭାରମ୍ଭ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବାରଦା ମାତୃଭବନର ପ୍ରତିଷ୍ଠା ଦିବସ ପାଳନ ସହ ଏକାସଙ୍ଗେ ଏହାର ୫୦ତମ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଏହି ମହୋତ୍ସବରେ ସଦର ବ୍ଲକ୍ ବି.ଡି.ଓ ସୁଧୀର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭବନ ଉତୋଳନ ସହ ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସର ଉତ୍ସବ ଶୁଭ ଉଦ୍ଘାଟନ କରିଥିଲେ । ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନେ୍ଦ ମାତରମ୍ ଗାନ ଓ ମାର୍ଚ୍ଚ ପାଷ୍ଟ ପରିବେଷଣ କରାଯାଇଥିଲା ।

ସର୍ବପ୍ରଥମ ଥର ପାଇଁ ଛାତ୍ରୀମାନଙ୍କ ଦ୍ୱାରା ବ୍ୟାଣ୍ଡ ପାର୍ଟି ବାଦନ କରାଯାଇ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ମାତୃଭବନର ଶାନ୍ତି ଶୃଙ୍ଖଳା ପବିତ୍ରତା ତଥା ଶିକ୍ଷା କେନ୍ଦ୍ରର କାନ୍ତ କୋମଳ ମନୋରମ ପରିବେଶ ଓ ପର୍ଯ୍ୟବେକ୍ଷଣ କରି ସନ୍ତୋଷ ପ୍ରକାଶ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କାମନା କରି ଅନୁଷ୍ଠାନର କର୍ମକର୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସା କରିଥିଲେ ।

ଏହି ଉତ୍ସବରେ ମାତୃଭବନ ଓ ଶିକ୍ଷାକେନ୍ଦ୍ରର କର୍ମକର୍ତା, ପରିଚାଳନା କମିଟିର ସଭାପତି, ସଭ୍ୟ, ପାଠଚକ୍ର ସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତି ଓ ସହଯୋଗ ଉତ୍ସବକୁ ମୁଖରିତ କରିଥିଲା ।

ପ୍ରଧାନଶିକ୍ଷକ ରୂପଶ୍ରୀ ରଥ, ଅଧ୍ୟକ୍ଷ ଦିଲ୍ଲୀପ କୁମାର ମହାରଣାଙ୍କର ସୁପରିଚାଳନା ଓ କ୍ରୀଡା ଶିକ୍ଷକ ବିଜୟ କୁମାର ନନ୍ଦଙ୍କ ତତ୍ୱାବଧାନରେ ଉତ୍ସବଟି ସର୍ବାଙ୍ଗ ସୁନ୍ଦର ହୋଇଥିଲା । ମାତୃଭବନ ସଂପାଦକ ସଚ୍ଚିଦାନନ୍ଦ ମହାରଣା ମୁଖ୍ୟ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇ ଆପ୍ୟାୟିତ କରାଯାଇଥିଲା ।

Comments (0)
Add Comment