ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ

ଢେଙ୍କାନାଳ : ଗୋବିନ୍ଦପୁରସ୍ଥିତ ମହର୍ଷି ବେଦ ବିଜ୍ଞାନ ବିଦ୍ୟାପୀଠ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃ ସମୟରୁ ସମସ୍ତ ବିଦ୍ୟାର୍ଥୀମାନେ ପ୍ରାତଃ ସଂଧ୍ୟା ଯୋଗାସନ, ପ୍ରାଣାୟମ ଓ ଭାବାତୀତ ଧ୍ୟାନ ସିଦ୍ଧି ଇତ୍ୟାଦି ଦିନଚର୍ଯ୍ୟା କରିଥିଲେ ।

ଛାତ୍ରମାନେ ମଧ୍ୟ ବିଶେଷ ଋଦ୍ରାଭିଷେକ ଆୟୋଜନ କରିଥିଲେ । ଦିନ ୧୦ ଘଟିକାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ କାର୍ଯ୍ୟକ୍ରମ ବୈଦିକ ଗୁରୁ ପୂଜନରୁ ଆରମ୍ଭ କରାଯାଇଥିଲା । ବିଦ୍ୟାପୀଠ ପ୍ରଭାରୀ ବ୍ରଜ ସୁନ୍ଦର ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଆଧୁନିକ ଯୁଗରେ ଗୁରୁ ଶିଷ୍ୟ ପରମ୍ପରା ଓ ଗୁରୁ ପୂର୍ଣ୍ଣିମା ପ୍ରସଙ୍ଗରେ ବକ୍ତବ୍ୟ ଦେଇଥିଲେ ।

ସେ ପ୍ରଥମେ କବୀର ଦାସଙ୍କ ଏକ ଦୋହାରୁ ଭାଷଣ ଆରମ୍ଭ କରି କହିଥିଲେ, “ସବ୍ ଧରତୀ କାଗଜ କରୁଁ, ଲିଖନି ବନ ସବରାୟ । ସାତ ସମୁଦ୍ର କି ମସି କରୁଁ, ଗୁରୁ ଗୁଣ ଲିଖନା ଯାୟ ।’ ଅର୍ଥାତ୍ ଯଦି ପୁରା ଧରିତ୍ରୀକୁ କାଗଜ କରିଦିଆଯାଏ, ସମସ୍ତ ବଣାରଣ୍ୟକୁ କଲମ କରିଦିଆଯାଏ ବେଂ ସାତ ସମୁଦ୍ର ଜଳରାଶି ସ୍ୟାହି କଲେ ମଧ୍ୟ ଗୁରୁ ଗୁଣ ବର୍ଣ୍ଣନା କରି ହେବନାହିଁ ।

ପ୍ରଭାରୀ ଶ୍ରୀ ନାୟକ ସଂସ୍ଥାର ସଂସ୍ଥାପକ ପରମ ପୂଜ୍ୟ ମହର୍ଷି ମହେଶ ଯୋଗୀ ଏବଂ ଅନନ୍ତ ବିଭୂଷିତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କୁ ଗୁରୁ ପ୍ରଣାମ କରି ଆଧୁନିକ ଯୁଗରେ ଗୁରୁ ଶିଷ୍ୟ ପରମ୍ପରା, ତା’ର ପ୍ରାସଙ୍ଗିକତା ଏବଂ ଆବଶ୍ୟକତା ଉପରେ ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ ।

ଗୁରୁ ଯେ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଦିବା ଆଲୋକ ଆଡକୁ ବାଟ କଢାଇ ନିଅନ୍ତି, ସର୍ବଦା ଶିଷ୍ୟମାନଙ୍କ ହିତ କଲ୍ୟାଣ ନିମନ୍ତେ ଜ୍ଞାନ ଓ ପ୍ରେମ ସମାଜକୁ ଭଲ ପାଇବା, ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ନିଜ ଛାତ୍ରମାନଙ୍କୁ ଅଗ୍ରଣି ହେବାର ପଥ ସୁଗମ କରାଇଥାନ୍ତି ।

ଆଜି ଦିନର ମହତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଆଜି ହେଉଛି ସର୍ବମାନ୍ୟ ମହାନ୍ ଗୁରୁ ମହର୍ଷି ବେଦବ୍ୟାସଙ୍କ ଜନ୍ମଦିନ ତତା ଭଗବାନ ଶିବ ଯେ, କି ଋଷିମାନଙ୍କର ଗୁରୁ । ଆଜିର ଦିନ ଆଷାଢ ପୂର୍ଣ୍ଣିମାରେ ସପ୍ତଋଷିମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ବେହେରା ଛାତ୍ରମାନଙ୍କୁ ଉତମ ସମାଜ ଗଠନ ଓ ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ସମାଜ ସେବା କରିବା ଉପରେ ପିଲାମାନଙ୍କୁ ପ୍ରବର୍ତାଇ ଥିଲେ ।

ଗୁରୁମାନେ ଯେ ସର୍ବକାଳୀନ ସମାଜ ସୁଧାରକ ତାହା ସେ ପିଲାମାନଙ୍କୁ ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ପିଲାମାନଙ୍କୁ ବୁଝାଇ ଥିଲେ । ଗୁରୁ ସର୍ବଦା ପୂଜ୍ୟ, ନମସ୍ୟ ଓ ପଥ ପ୍ରଦର୍ଶକ ହୋଇଥାନ୍ତି । ଏହା ଉପରେ ପିଲାମାନଙ୍କୁ ହୃଦୟରେ ଗଭୀର ରେଖାପାତ କରିଥିଲେ ।

ବିଦ୍ୟାପୀଠ ମୁଖ୍ୟାଚାର୍ଯ୍ୟ ମାନସ ରଞ୍ଜନ ପାଣିଗ୍ରାହୀ ବୌଦ୍ଧିକ ଶ୍ଲୋକ ମାଧ୍ୟମରେ ଛାତ୍ରମାନଙ୍କୁ ଗୁରୁଙ୍କ ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରମାନଙ୍କୁ ଏକଲବ୍ୟ, ଆରୁଣୀ ଓ ଉପମନୁ୍ୟ ଉଦାହରଣ ପ୍ରସ୍ତୁତ କରାଇ ଗୁରୁଭକ୍ତି ପ୍ରତି ଛାତ୍ରମାନଙ୍କୁ ପ୍ରବର୍ତାଇ ଥିଲେ ।

ଉପସ୍ଥିତ ଅତିଥି ଓ ଛାତ୍ରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପ୍ରସାଦ ବିତରଣ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା ।

Comments (0)
Add Comment