କୋଣାର୍କ: ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ ଗୌରବଗାରିମା ହରାଇଥାଏ । ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସଂପର୍କ ଘନିଷ୍ଠ ହେବା ସର୍ବାଦୌ ବାଞ୍ଛନୀୟ ବୋଲି କୋଣାର୍କ ସାହିତ୍ୟ ଆସରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ସାହିତ୍ୟ ଆସରରେ ଓଡିଆା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରଂଜନ କୁମାର ଦାସ ମୁଖ୍ୟ ଅତିଥି, ଡ. ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ବିଶିଷ୍ଟ ଅତିଥି ଓ କବୀ ତଥା ଗବେଷିକା ଡ. ଜୟନ୍ତୀ ରଥ ମୁଖ୍ୟବକ୍ତାରୂପେ ଯୋଗଦେଇ ‘ସମକାଳୀନ ଓଡିଆ ସାହିତ୍ୟର ଭାଷା’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିବା ଅବସରରେ ଏହି ମତ ଦେଇଛନ୍ତି । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପୌରୋହିତ୍ୟରେ ଆୟୋଜିତ କୋଣାର୍କ ସାହିତ୍ୟ ଆସରକୁ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିରୂପେ ପର୍ଯ୍ୟଟନ ବିଭାଗର ପ୍ରାକ୍ତନ ଯୁଗ୍ମ ନିଦେ୍ର୍ଦଶକ ବିରଂଚି ମିଶ୍ର ଓ ଗାଳ୍ପିକ ହରେକୃଷ୍ଣ ସାହୁ ଯୋଗ ଦେଇଥିଲେ ।
ଏହି ଅବସରରେ ଚିତ୍ରଶିଳ୍ପୀ ବର୍ଣ୍ଣାଳୀ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିମାନେ ଉଦ୍ଘାଟନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସାହିତ୍ୟ ଆସରର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ପ୍ରକାଶଚନ୍ଦ୍ର ଖଟୋଇଙ୍କ ଦ୍ୱାରା ସଂପାଦିତ ଶିଶୁପତ୍ରିକା ‘ବାନରସେନା’ର ଚଳିତ ସଂଖ୍ୟା ଏବଂ ଗୋପ ଏବିଇଓ କମଳିନି ବେହେରାଙ୍କ ପୁସ୍ତକ ‘ତୁମପରି ଟିକି ପିଲାଟିଏ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଧରମା ସମ୍ମାନ, କବି ରଂଜନ କୁମାର ଦାସଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, କବୀ ଡ. ଜୟନ୍ତୀ ରଥଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ବିରଂଚି ମିଶ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, କବୀ ରତ୍ନପ୍ରଭା ବାଇଙ୍କୁ ମା’ ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, କବୀ ରତ୍ନାକର ବେହେରା(ଶ୍ରୀମାନ ସର୍ବଗିଳା)ଙ୍କୁ ବ୍ୟଙ୍ଗସୂର୍ଯ୍ୟ ସମ୍ମାନ, ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକଙ୍କୁ କୋଣାର୍କ କଳା ସମ୍ମାନ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶଙ୍କୁ କୋଣାର୍କ ସେବା ସମ୍ମାନ ଓ ପଟ୍ଟଚିତ୍ର ଶିଳ୍ପୀ ବବିତା ସାହୁଙ୍କୁ କୋଣାର୍କ କଳା ସମ୍ମାନ ପ୍ରଦାନପୂର୍ବକ ସମ୍ମାନୀତ କରାଯାଇଥିଲା ।
କବୀ ଡ. ସୁଚିତ୍ରା ରଥ, ଶ୍ୟାମପ୍ରକାଶ ସେନାପତି, ଅନ୍ନପୂର୍ଣ୍ଣା ଦେବୀ ଓ ହରପ୍ରିୟା ସାହୁ ମାନପତ୍ର ପାଠ କରିଥିଲେ । ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କ
କବିତାପାଠ କାର୍ଯ୍ୟକ୍ରମରେ କବି ରାଧାକୃଷ୍ଣ ପ୍ରଧାନୀ, ଗୋବିନ୍ଦଚନ୍ଦ୍ର ଫାରକ, ଭଗବାନ ସାହୁ, ଦେବୀପ୍ରସାଦ ମହାପାତ୍ର, କବୀ ମଂଜୁଲତା ସିଂ, ଶୁଭସ୍ମିତା ପ୍ରଧାନ, ଟିକିନା ରାଉତ, ଚିତ୍ତରଂଜନ ବିଶ୍ୱାଳ, ଯୋଗଚାର୍ଯ୍ୟ ମହେଶ୍ୱର ସାମଲ ଓ କୃଷ୍ଣଚନ୍ଦ୍ର ରଥଙ୍କ ସମେତ ୫୦ଜଣ କବି ନିଜସ୍ୱ କବିତା ପାଠ କରିଥିଲେ । ପରିଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସାରସ୍ୱତ ଉତ୍ସବକୁ ସମାଜସେବୀ ନିରଂଜନ ସାହୁ, ରବୀନ୍ଦ୍ର କୁମାର ପ୍ରଧାନ, ଗୀତାଞ୍ଜଳି ସାହୁ, ନିରଂଜନ ତ୍ରିପାଠୀ, ରାଜଲକ୍ଷ୍ମୀ ମିଶ୍ର, ପ୍ରିୟରଂଜନ ରଥ, କୁନାଲ ପାତ୍ର, ଶୁଭ୍ରାଂଶୁ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।