ଦୁର୍ଗମ ଅଂଚଳ ଏକୁଲ-ସେକୁଲ ଓ ପୁଟିପାଳ ଗାଁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ-ଜିଲ୍ଲାପାଳ

ଅଧିକାରୀମାନେ ପ୍ରତିମାସରେ ଥରେ ଗାଁକୁ ଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ

ଢେଙ୍କାନାଳ: “ଜିଲ୍ଲାର ଅପହଂଚ ଇଲାକାରେ ଉନ୍ନୟନ ଯୋଜନା” ଆଧାରରେ ଅପହଂଚ ଗ୍ରାମ ଗୁଡିକୁ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି କ୍ରମରେ ଗତ ଶନିବାର ଦିନ ଜିଲ୍ଲାପାଳ ସରୋଜ କୁମାର ସେଠି କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ଅଂଚଳ ଏକୁଲ-ସେକୁଲ୍ ଓ ପୁଟିପାଳ ଗ୍ରାମ ପରିଦର୍ଶନ କରି ଗମନାଗମନ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ବିଧାନ କରାଯାଇ ଗ୍ରାମବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶକ୍ତି ନୟନୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ହିତାଧିକାରୀଙ୍କୁ ଚାଉଳ ଓ କିରୋସିନ ଯୋଗାଇ ଦେବାକୁ ଖୋଲାଇଥିବା ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ ।

ଏହି ବିକ୍ରୟକେନ୍ଦ୍ର ଦ୍ୱାରା ଏକୁଲ୍ ଗ୍ରାମବାସୀ ଚାଉଳ ଓ କିରୋସିନି ସୁବିଧାରେ ପାଇପାରିବେ । ଗାଁକୁ ଗମନାଗମନ ସୁବିଧା ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟରେ ଏକ ବ୍ରିଜ ନିର୍ମାଣ, ଯୋଗାଯୋଗ ପାଇଁ ଅଂଚଳରେ ମୋବାଇଲ୍ ଟାୱାର ସ୍ଥାପନ, ଶିକ୍ଷାର ବିକାଶ ପାଇଁ ଯେପରି ସମସ୍ତ ପିଲା ବିଦ୍ୟାଳୟକୁ ଆସିବେ, ସେଥିନେଇ ସ୍ଥାନୀୟ ସ୍କୁଲ ଶିକ୍ଷକ, ଅଙ୍ଗନବାଡି କର୍ମୀ ପ୍ରତ୍ୟେକ ଘରକୁ ଘର ବୁଲି ୬ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ପିଲା ଚିହ୍ନଟ କରି ସେମାନଙ୍କ ନାଁ ଲେଖାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଗମନାଗମନ ସୁବିଧା ପାଇଁ ଗାଁକୁ ଏକ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏକୁଲ-ସେକୁଲ ଗାଁକୁ ଇକୋ ଟୁରିଜିମ୍ ପାଇଁ ପ୍ରସ୍ତାବ ରଖାଯିବ । ଗାଁ ଲୋକଙ୍କୁ ଛେଳି, କୁକୁଡ଼ା ପାଳନ ସହ ବିଭିନ୍ନ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ଏହି ଅଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଧାରରେ କୋଟ ଗାଁର ୧୦ଜଣ ହିତାଧିକାରୀଙ୍କୁ ଜିଲ୍ଲାପାଳ ଜମିପଟା ପ୍ରଦାନ କରିଥିଲେ ।

ଗାଁ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ୧୬ରୁ ୧୮ତାରିଖ, ତିନିଦିନିଆ ‘ଦମନ’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ମ୍ୟାଲେରିଆ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ରକ୍ତ ନମୂନା ସଂଗ୍ରହ ସହ ପରୀକ୍ଷା କରାଯାଉଛି । ଅଂଚଳର ବିକାଶ ପାଇଁ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମସ୍ତଙ୍କୁ କାମ ଯୋଗାଇ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଥିଲେ ।
ଅପରାହ୍ନରେ ଦୁର୍ଗମ ପୁଟିପାଳ ଗାଁ ପରିଦର୍ଶନରେ ଯାଇ ଜିଲ୍ଲାପାଳ ଗାଁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ୨ଜଣ ଶିକ୍ଷକ ନିଯୁକ୍ତ କରାଯିବ ବୋଲି କହିଥିଲେ । ପିଲାମାନଙ୍କର ପୁଷ୍ଟିସାଧନ, ସ୍ୱାସ୍ଥ୍ୟ ପରୀକ୍ଷା, ପରିଷ୍କାର-ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପ୍ରତିମାସରେ ଥରେ ଗାଁକୁ ଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କହିଥିଲେ । ପୁଟିପାଳକୁ ଗମନା ଗମନ ସୁବିଧା ପାଇଁ ରାସ୍ତା ନିମନ୍ତେ ଜିଲ୍ଲାପାଳ ୧୦ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ଏହି ଗ୍ରାମକୁ ଏକ ମଡେଲ ଗ୍ରାମରେ ପରିଣତ କରିବାକୁ ପ୍ରକାଶ କରିଛନ୍ତି ।

ଗ୍ରାମର ବିକାଶ ପାଇଁ କଙ୍କଡ଼ାହାଡ଼ ବିଡିଓ  ବୁଲବୁଲ ବେହେରା ପୁଟିପାଳକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଭିନ୍ନ ଅଧିକାରୀମାନେ ଉଭୟ ଗ୍ରାମର ଅଧିବାସୀଙ୍କ ସହ ଆଲୋଚନା କରି ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେନୀ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟେତିଶଙ୍କର ସାହୁ, ସିଡିଏମ୍ଓ ଡାଃ ସୁଜାତାରାଣୀ ମିଶ୍ର, ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ, ପୋଲିସ୍ ଅଧିକାରୀ, କଙ୍କଡ଼ାହାଡ଼ ବିଡିଓ, ତହସିଲଦାର ପ୍ରମୁଖ ଅପହଂଚ ଗ୍ରାମଦ୍ୱୟ ଗସ୍ତରେ ସାମିଲ ଥିଲେ ।

Comments (0)
Add Comment