ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତ କୋଇଲିପଙ୍ଗି ଗ୍ରାମସ୍ଥିତ ଦେବେନ୍ଦ୍ର ଶତପଥୀ ମେମୋରିଆଲ କଲେଜ ପରିସରରେ , ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ୍ (ଆଇୱା) ପକ୍ଷରୁ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି ।
ମହାବିଦ୍ୟାଳୟ ପରିସରରେ ପ୍ରଯ୍ୟାୟ କ୍ରମେ ଡିଗ୍ରୀ ଵିଭାଗରେ ଓ ପରେ ହାୟର ସେକେଣ୍ଡାରି ଵିଭାଗ ର ଛାତ୍ରୀ ଓ ଛାତ୍ରଙ୍କୁ ନେଇ ଆଇୱା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଗ୍ରୀ କଲେଜ୍ ର ଅଧ୍ୟକ୍ଷା ମଞ୍ଜୁଶ୍ରୀ ମୁଖୀ ଓ ହାୟର ସେକେଣ୍ଡାରି ର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ପଣ୍ଡା ସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ସୁସ୍ଥ ଜୀବନଯାପନ ଏବଂ ଛାତ୍ର ଜୀବନରେ ଶୃଙ୍ଖଳିତ ଜୀବନ ଶୈଳୀ ଉପରେ ସକ୍ଷିପ୍ତ ଵିଵରଣୀ ଦେଇ ଆଇୱା କର୍ମକର୍ତ୍ତା ମାନଙ୍କୁ ବିଶ୍ଵ ଏଡ଼ସ୍ ଦିବସ ଓ ଏଚ୍.ଆଇ.ଭି ଉପରେ ବିସ୍ତୃତ ଭାବରେ ଆଲୋଚନା କରିବାପାଇଁ ଦାୟିତ୍ଵ ଦେଇଥିଲେ ।
ଆଇୱା ର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢୀ ପ୍ରମୁଖ ଆଲୋଚନା ଚକ୍ରରେ ଏଚ୍.ଆଇ.ଭି ର ଇତିହାସ ଏବଂ ଉତ୍ପତ୍ତି ଉପରେ ଆଲୋକପାତ କରି ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।
ଆସୋସିଏସନ୍ ର ଅନ୍ୟତମ କର୍ମୀ ନିବେଦିତା ସାହୁ ଏ ବର୍ଷ ର ବିଶ୍ୱ ଏଡ଼ସ୍ ଦିବସ ପାଳନର ଵିଷୟବସ୍ତୁ “ଇକ୍ୱାଲାଇଜ୍” ବା “ସମାନତା” ଉପରେ ଆଲୋଚନା କରି ଅଧ୍ୟାପିକା , ଅଧ୍ୟାପକ ଏବଂ ଛାତ୍ରୀଛାତ୍ର ଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିଥିଲେ । ଆସୋସିଏସନ୍ ର ନିର୍ଦ୍ଦେଶିକା ଅନସୂୟା ମିଶ୍ର ଏଚ୍.ଆଇ. ଭି ଏବଂ ଏଡସ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଵୁଝାଇ ବିଶ୍ୱ ଏଡ଼ସ୍ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।
ଆଲୋଚନା ଚକ୍ରର ଶେଷରେ ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର , ଯୋଗଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଵୃଦ୍ଧି ତଥା ସୁସ୍ଥ ଓ ନିରୋଗ ଜୀବନ ଯାପନ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଲୋଚନାର ଶେଷ ପର୍ଯ୍ୟାୟରେ ସର୍ବସମ୍ମତି କ୍ରମେ , ଏଚ୍. ଆଇ. ଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସହୃଦୟତା ଏବଂ ସମାନତା ଆଚରଣ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଆସୋସିଏସନ୍ ର ଅନ୍ୟତମ କର୍ମୀ ପ୍ରିୟବ୍ରତ ଦାଶ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।