Take a fresh look at your lifestyle.

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ ତୁଟୁନି ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି

କମ୍ପାନୀ ମୁଖ୍ୟଙ୍କ ଉପସ୍ଥିତିରେ ଆଜି ହେବ ଏମ୍ଓୟୁ ସ୍ୱାକ୍ଷର

0 17

କାମାକ୍ଷାନଗର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବିଆର୍ଜି କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମ୍ଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନେଇ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି ।

ମଙ୍ଗଳବାର ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ ଜଣ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦିଆଯିବ । ୨୪ ଓ ୨୫ ତାରିଖ ଦୁଇଦିନ ମଧ୍ୟରେ ଏମାନଙ୍କୁ କମ୍ପାନୀ ତରଫରୁ ନିଯୁକ୍ତି ପତ୍ର ମିଳିବ ।

ଅନ୍ୟମାନଙ୍କୁ ଆସନ୍ତା ୨ ମାସରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯିବ । ନିଯୁକ୍ତି ସଂକ୍ରାନ୍ତରେ ବୁଧବାର କାରଖାନା ମୁଖ୍ୟଙ୍କ ଉପସ୍ଥିିତିରେ ଏମ୍ଓୟୁ ସ୍ୱାକ୍ଷରିତ କରାଯିବ ବୋଲି ମଙ୍ଗଳବାର ସଦର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ନିଷ୍ପତି ହୋଇଛି ।

ସର୍ବମୋଟ ୧୬୬ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୧୪୧ ଜଣଙ୍କୁ କମ୍ପାନୀ ନିଯୁକ୍ତି ଦେବ ବୋଲି ପ୍ରଥମେ କହିଥିଲା । ଆଉ ୨୫ ଜଣଙ୍କ ବୟସାଧିକ କାରଣରୁ ଅନ୍ୟ ଉପାୟରେ ସେମାନଙ୍କୁ ବନେ୍ଦାବସ୍ତ କରିଦିଆଯିବ ବୋଲି କଥା ହୋଇଥିଲା ।

ମାତ୍ର ବୈଠକକୁ ୨ ମାସରୁ ଉଦ୍ଧ୍ୱର୍ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଜଣେ ହେଲେ ବି କ୍ଷତିଗ୍ରସ୍ତ କମ୍ପାନୀରେ ନିଯୁକ୍ତି ପାଇନଥିବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏପରିକି ୨୩ ତାରିଖରେ ୨ଟି ପର୍ଯ୍ୟାୟରେ ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଞ୍ଚ ମାଧ୍ୟମରେ ନିଯୁକ୍ତି ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ କରାଯାଇନାହିଁ । ବୈଠକରେ ଉପସ୍ଥିତ କମ୍ପାନୀ ଅଧିକାରୀମାନେ ଡିଆର୍ଆଇ ପ୍ଲାଣ୍ଟ୍ ଚାଲୁହେଲେ ନିଯୁକ୍ତି ଦେବେ ବୋଲି କହିବାରୁ ହୋହାଲ୍ଲା ହୋଇଥିଲା ।

ପ୍ରଦୂଷଣ ଯୋଗୁଁ ଗତ ୨୦୧୦ ମସିହାରୁ ଡିଆର୍ଆଇ ପ୍ଲାଣ୍ଟ୍ ବନ୍ଦ ହୋଇପଡିଛି । ଏହା ନିକଟ ଭବିଷ୍ୟତରେ ଚାଲିବାର ସମ୍ଭାବନା ନଥିବାରୁ କମ୍ପାନୀରେ ଅନ୍ୟ ୟୁନିଟ୍ରେ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଥିଲା ।

ଶେଷରେ କମ୍ପାନୀର ଅଧିକାରୀ ଓ ପ୍ରଜାସଂଘ ସଭାପତି ଶ୍ରୀ ସାମଲ ରିମ୍ଝିମ୍ ମାଲିକଙ୍କ ସହିତ ଫୋନ୍ ଯୋଗେ କଥା ହୋଇଥିଲେ । ୨୪ ଓ ୨୫ ତାରିଖ ଦୁଇଦିନ ମଧ୍ୟରେ ପ୍ରଥମ ଦଫାରେ ୬୪ ଜଣଙ୍କୁ ନିଯୁକ୍ତି ଦିଆଯିବ । ଅନ୍ୟ ୪୦ ଜଣଙ୍କୁ ୪୫ ରୁ ୬୦ ଦିନ ମଧ୍ୟରେ ନିଯୁକ୍ତି ମିଳିବ ।

ବାକି ଅନ୍ୟମାନଙ୍କୁ ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ମାଲିକ ଫୋନ୍ ଯୋଗେ ରାଜି ହୋଇଥିଲେ । ଏଥିନିମନ୍ତେ କମ୍ପାନୀ ମାଲିକ ନିଜେ ଆସି ହିନେ୍ଦାଳ ବିଧାୟିକା, କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଏମ୍ଓୟୁରେ ସ୍ୱାକ୍ଷର କରିବେ ବୋଲି ସୂଚନା ଦେଇଥିଲେ ।

ଏହି ବୈଠକରେ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, , ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ, ଓଡାପଡା ତହସିଲ୍ଦାର ବାଣୀନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ରିମ୍ଝିମ୍ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଏମ୍ ପି ସିଂହ, ଉପମହାପ୍ରବନ୍ଧକ ସି ଆର୍ ମିଶ୍ରଙ୍କ ସମେତ କ୍ଷତିଗ୍ରସ୍ତ ପ୍ରଜାମାନେ ଯୋଗଦେଇଥିଲେ ।

- Advertisement -

Leave A Reply

Your email address will not be published.