ପବିତ୍ର କପିଳାସ ପୀଠରେ ମୁଁ ଏକଦା ଅଙ୍ଗେ ନିଭାଇଥିବା ଏକ ଦିବ୍ୟ ଅନୁଭୂତି ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରିବା ପୂର୍ବରୁ ଏହି ଐତିହ୍ୟ ସଂପନ୍ନ କ୍ଷେତ୍ରଟି ସଂପର୍କରେ ପ୍ରଥମେ କିଛି ସୂଚନା ଦେବା ଉଚିତ ମନେକରୁଛି।
ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ କପିଳାସ ଏକ ପୁରାଣ ପ୍ରସିଦ୍ଧ ତୀର୍ଥ ଓ ଶୈବକ୍ଷେତ୍ର। ଭାରତୀୟ ଶୈବ ସଂସ୍କୃତିରେ କପିଳାସର ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ। ହିମାଳୟର କୈଳାସ ପର୍ବତର ଯେଉଁ ଶୃଙ୍ଗରେ ଶିବ ନିବାସ କରୁଥିଲେ ସେହି ଶୃଙ୍ଗଟିକୁ ଶିବଙ୍କ ଭକ୍ତ ରାବଣ ଉପାଟନ କରି ଲଙ୍କାକୁ ନେବା ସମୟରେ ଦେବଗଣଙ୍କ ପ୍ରାର୍ଥନାରେ ତାହାର ଗୁରୁଭାର ରାବଣ ସମ୍ଭାଳି ନପାରିବାରୁ ସେହି ଶୃଙ୍ଗଟି ଓଡ଼ିଶାର ମଧ୍ୟସ୍ଥଳରେ ଭୂପତିତ ହୋଇ କୈଳାସ ନାମ ପରିବର୍ତ୍ତେ ଅପଭ୍ର°ଶରେ କପିଳାସ ନାମ ଧାରଣ କଲା।
ଯଦୋଦ୍ଧୃତଞ୍ଚ କୈଳାସ° ରାବଣେନ ଦୁରାତ୍ମନା
ତଦେବ ଶୃଙ୍ଗ ପତିତ° ତତ୍ କୈଳାସ ମିହୋଚ୍ୟତେ।
କପିଳାସରେ ମହାଶିବରାତ୍ରିର ମହାନିଶାରେ ଶିବ ପ୍ରଥମେ ଲିଙ୍ଗରୂପ ଧାରଣ କରିଥିବାରୁ ଏହାକୁ ଶିବଙ୍କର ଆଦିପୀଠ କୁହାଯାଏ। ପ୍ରଭୁ ଆଶୁତୋଷ ଲିଙ୍ଗରୂପରେ କପିଳାସ ପର୍ବତର କଟିଦେଶରେ ଆବିର୍ଭାବ ହୋଇ ଶିଖରେଶ୍ୱର ବା ଚନ୍ଦ୍ରଶେଖର ନାମ ଧାରଣ କରିଛନ୍ତି। ମହନୀୟତା ହେଉଛି ଶିଖରେଶ୍ୱର ବା ଚନ୍ଦ୍ରଶେଖର ସ୍ଫଟିକ ସଦୃଶ ଶୁଭ୍ର ଶିବଲିଙ୍ଗ। ଏହି ଲିଙ୍ଗ ଶକ୍ତି ବେଷ୍ଟିତ ଓ ରୋପ୍ୟ ନାଗ ଆଚ୍ଛାଦିତ। ଲିଙ୍ଗଙ୍କର ପଶ୍ଚିମରେ ବିଶ୍ବର ସର୍ବବୃହତ ଶାଳଗ୍ରାମ ଅନନ୍ତ ନାଗ ପରିବେଷ୍ଟିତ ହୋଇ ବିରାଜିତ। ତେଣୁ ଏହା ହରିହର ପୀଠ। ତେଣୁ ମନ୍ଦିରର ଶୀର୍ଷରେ ତ୍ରିଶୁଳ ପରିବର୍ତ୍ତେ ଅର୍ଦ୍ଧଚକ୍ର ପିନାକ ସ୍ଥାପିତ।
କପିଳାସ କେବଳ ତୀର୍ଥ ନୁହେଁ, ଏକ ସ୍ୱାସ୍ଥ୍ୟକର ଶୈଳନିବାସ ମଧ୍ୟ। ଏହାର ପ୍ରତ୍ୟେକଟି ଝରଣାର ଜଳ ପରମ ପାବନ ଓ ଆୟୁଷ୍ୟ। କପିଳାସର ପ୍ରାକୃତିକ ଶୋଭା ରମଣୀୟ ଓ ଚିତ୍ତାକର୍ଷକ। ପର୍ବତଟି ବକୁଳ, ଚମ୍ପକ, ଅଶୋକ, ତମାଳ, କଦମ୍ବ, ନାଗକେଶର, ବେତ, ପ୍ରଭୃତି ପୁଷ୍ପବୃକ୍ଷ ଓ ଲତାରାଜିରେ ସଦା ବିଭୂଷିତ ଓ ସୌରଭମୟ। ଶୁଭ୍ର ସ୍ୱଚ୍ଛ ନିର୍ଝରର କଳନାଦରେ କପିଳାସ ବନସ୍ଥଳୀ ସଦା ମୁଖରିତ। ବର୍ଷାଋତୁରେ ବନଲତାଗୁଡ଼ିକ ନବୀନ ପଲ୍ଲବ ଧାରଣ କରି ଘନ ସବୁଜ ବନାନୀ ସୃଷ୍ଟି କରିଥାନ୍ତି। ଶରତ ଋତୁରେ ଶୁଭ୍ର କାଶତଣ୍ଡି ଫୁଲର ଲହରୀ କପିଳାସ ପର୍ବତର ଶୋଭାକୁ ସମୁଜ୍ଵଳ କରିଥାଏ।
ବସନ୍ତ ଓ ଗ୍ରୀଷ୍ମ ଋତୁରେ କପିଳାସର ରମଣୀୟ ପ୍ରାକୃତିକ ବୈଭବ ପ୍ରାଣରେ ଅପୂର୍ବ ଶାନ୍ତି ସଂଚାର କରିଥାଏ। ପୁଣ୍ୟତୋୟା ବନ୍ୟ ନିର୍ଝରିଣୀ ଗୁଡିକ ସ୍ଫଟିକ ପାବଚ୍ଛ ସଦୃଶ ପ୍ରତୀୟମାନ ହୋଇଥାଏ। କପିଳାସ ଶିଖରରେ ସୂର୍ଯ୍ୟାସ୍ତ ମନୋମୁଗ୍ଧକର ଓ ଅବିସ୍ମରଣୀୟ। କପିଳାସ ବନାଞ୍ଚଳର ନାମ ହରଉଦ୍ୟାନ। ଏହି ହରଉଦ୍ୟାନରେ ହଜାର ହଜାର ପ୍ରକାରର ଔଷଧୀୟ ବୃକ୍ଷ ଓ ଗୁଳ୍ମ ରହିଛି। ଏହି ସବୁ ଦୁର୍ଲଭ ଔଷଧ ବୃକ୍ଷ ସମ୍ୱନ୍ଧରେ ଅଦ୍ୟାବଧି ଆକଳନ କରାଯାଇପାରିନାହିଁ। କପିଳାସର ପବିତ୍ର ଜଳ, ଔଷଧୀୟ ବୃକ୍ଷଲତା ଓ ସ୍ୱାସ୍ଥ୍ୟପ୍ରଦ ବାୟୁମଣ୍ଡଳରେ ଅସାଧାରଣ ରୋଗନିବାରିଣୀ ଶକ୍ତି ରହିଛି। ଅନେକ ଦୂରାରୋଗ୍ୟ ହେବାର ବହୁ ଉଦାହରଣ ରହିଛି। ବର୍ତ୍ତମାନ ମଧ୍ୟ ବହୁ ରୋଗୀ କପିଳାସରେ ରହି ନିଜର ଆରୋଗ୍ୟ କାମନା କରିଛନ୍ତି। କପିଳାସ ଝରଣାରେ ସ୍ନାନ କଲେ ସକଳ ବ୍ୟାଧି ଦୂରୀଭୂତ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।କପିଳାସ ଏକ କଳ୍ପଦ୍ରୁମ ସଦୃଶ ଶତାବ୍ଦୀ ଶତାବ୍ଦୀ ଧରି ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷଣ କରି ଆସିଛି।
ମୋର ମଧ୍ୟ ପିଲା ଦିନରୁ କପିଳାସ ପ୍ରତି ଅହେତୁକ ଆକର୍ଷଣ ରହିଛି। ମୋର ଜନ୍ମଭୂମି ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଶାସନ ଏକ ବ୍ରାହ୍ମଣ ବହୁଳ ଗ୍ରାମ। ବ୍ରାହ୍ମଣ ଓ ରାମିଆଳ ନଦୀର ସଙ୍ଗମ ସ୍ଥଳରେ ଏହି ପ୍ରାଚୀନ ବ୍ରାହ୍ମଣ ଶାସନ ବେଦଭାଷ୍ୟକାର ସ୍କନ୍ଦ ସ୍ୱାମୀଙ୍କ ଦ୍ୱାରା ନବମ ଶତାବ୍ଦୀରୁ ପ୍ରତିଷ୍ଠିତ। ଆମ ଶାସନର ସଭିଏଁ କପିଳାସ ଠାକୁରଙ୍କ ଭକ୍ତ। କପିଳାସଠାରୁ ଆମ ଗାଁ ପ୍ରାୟ ୨୦ କି.ମି.। ଆମେ ପ୍ରତ୍ୟୁଷରୁ ଚାଲି ଚାଲି କପିଳାସ ଆସିଲେ ଘ୯ଣ୍ଟାରେ କପିଳାସରେ ପହଞ୍ଚୁ। ସେତେବେଳକୁ ଠାକୁରଙ୍କର ଖେଚେଡ଼ି ଭୋଗ ହୋଇଥାଏ।
ଭୋଗ ପାଇ ଆମେ ବୁଲାବୁଲି କରୁ ଏବଂ ଅପରାହ୍ନ ଘ୨ଣ୍ଟାରେ ଅନ୍ନଭୋଗ ପାଇଲାପରେ ଗାଁକୁ ଫେରିଯାଉ ତଥା ସନ୍ଧ୍ୟାରେ ଗାଁରେ ପହଞ୍ଚୁ। କପିଳାସର ଶିବରାତ୍ରି ଦେଖିବା ନିମନ୍ତେ ଆମ ଗାଁରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପ୍ରତିବର୍ଷ କପିଳାସ ଆସନ୍ତି। ଏହି ଦୃଷ୍ଟିକୋଣରୁ ମୁଁ ବାଲ୍ୟକାଳରୁ କପିଳାସ ପ୍ରତି ଆସକ୍ତ ଥିଲି। ଠାକୁରଙ୍କ କୃପାରୁ ପରିଣତ ବୟସରେ ପ୍ରାୟ ତିରିଶି ବର୍ଷ କାଳ କପିଳାସ ଠାକୁରଙ୍କ ସେବାର ସୁଯୋଗ ଲାଭ କରିଥିଲି ଦେବୋତ୍ତର ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟକରି।
ଏହି ସମୟରେ ଶ୍ରୀଚନ୍ଦ୍ରଶେଖରଙ୍କ କୃପାରୁ ଅନେକ ଥର ଦିବ୍ୟାନୁଭୂତି ଅର୍ଜନ କରିଅଛି, ଯାହା ଭାଷାରେ ଅବ୍ୟକ୍ତ। କପିଳାସ ନିର୍ଝରର ଜଳ ପରମ ପାବନ ଓ ଆୟୁଷ୍ୟ। କେତେକ ମତ ବ୍ୟକ୍ତ କଲେ ଯେ ଏହି ଜଳରେ ଅଭ୍ର ଅଂଶ ମିଶିକରି ରହିଥିବାରୁ ତାହା ଔଷଧ ସଦୃଶ କାର୍ଯ୍ୟ କରୁଛି। ଏହାକୁ ପରୀକ୍ଷା କରିବା ନିମିତ୍ତ ଭାରତ ସରକାରଙ୍କ ଅନୁମତି କ୍ରମେ ଦୁଇଜଣ ଜାପାନୀ ବୈଜ୍ଞାନିକ ୧୯୭୬ ମସିହାରେ କପିଳାସ ଆସିଥିଲେ।
ସେତେବେଳେ ମୋର ନୂଆ ଚାକିରୀ। ଏତାଦୃଶ ପରୀକ୍ଷାକୁ ମୁଁ ବିରୋଧ କରିଥିଲି। କିନ୍ତୁ ତତକାଳୀନ ଢେଙ୍କାନାଳ ଜିଲାପାଳ ସ୍ୱର୍ଗୀୟ ସୁଧାଂଶୁ ଭୂଷଣ ମିଶ୍ର ମୋତେ ବୁଝାଇବାପରେ ମୁଁ ସେହି ବୈଜ୍ଞାନିକ ଦୁଇ ଜଣଙ୍କୁ ନେଇ କପିଳାସ ଗଲି। ଅବଶ୍ୟ ସେମାନଙ୍କର ନାମ ମୁଁ ମନେରଖି ପାରିନାହିଁ। ସେମାନଙ୍କ ମଧ୍ୟରୁ ଜଣେ ଟୋକିଓ ନିବାସୀ ଓ ଅନ୍ୟ ଜଣଙ୍କ ଓସାକା ନିବାସୀ।
ସେମାନେ ଆଣିଥିବା ମେସିନ ସର୍ବୋଚ୍ଚ ଶୃଙ୍ଗ ଦେବସଭାଠାକୁ ନିଆଗଲା। ସୂଚନା ଯୋଗ୍ୟ ଯେ କପିଳାସ ପର୍ବତର ସର୍ବୋଚ୍ଚ ଶୃଙ୍ଗ ଦେବସଭା ଭୂପୃଷ୍ଠଠାରୁ ୨୨୩୯ ଫୁଟ ଉପରେ ଅବସ୍ଥିତ। ଠାକୁରଙ୍କର ବିଜେସ୍ଥଳୀ ପର୍ବତର କଟିଦେଶରେ ୧୫୦୦ ଫୁଟ ଉପରେ ଅବସ୍ଥିତ। ବୈଜ୍ଞାନିକ ଦ୍ଵୟ ଆଣିଥିବା ମେସିନଟିକୁ ପ୍ରାୟ ଦଶଫୁଟ ଗଭୀର ଗାତ ଖୋଳି ସ୍ଥାପନା କରିବା ପରେ ଅନ୍ୟାନ୍ୟ ଯନ୍ତ୍ରପାତି ଓ ବୀକ୍ଷଣ କାଚ ଖଞ୍ଜିଲେ।
ସବୁ ଖଞ୍ଜିସାରିବା ପରେ ସାନ ବୈଜ୍ଞାନିକ ଜଣକ ପ୍ରଥମେ ବୀକ୍ଷଣ କାଚ ଦେଇ ଭୂପୃଷ୍ଠର ଅଭ୍ୟନ୍ତରକୁ ଦେଖିଲେ ଏବଂ ହଠାତ୍ ଭୟାତୁର ହୋଇ ଚେତାଶୂନ୍ୟ ହୋଇ ପଡିଗଲେ।
ଏହା ପରେ ବଡ଼ ବୈଜ୍ଞାନିକ ଜଣକ ଦେଖିଲେ, ତଥା ଭୟରେ ଚିତ୍କାର କରିବା ସହିତ ପରିଶ୍ରା କରିପକାଇଲେ। ମୁଁ ଓ ଡ୍ରାଇଭର ଅନୁମାନ କଲୁ, ଏମାନେ ନିଶ୍ଚୟ କୌଣସି ଭୟାନକ ଦୃଶ୍ୟ ଦେଖିଛନ୍ତି। ମୋ ଡ୍ରାଇଭର ମୋତେ କହିଲେ, “ଆପଣ ଶିବ ମନ୍ତ୍ର ଜପି ନିଜେ ଦେଖନ୍ତୁ, କଣ ସେହି ଭୟାନକ ଦୃଶ୍ୟ?” ମୁଁ ପ୍ରଥମେ ସାହସ କଲି ନାହିଁ। ତାପରେ ଏକପ୍ରାଣର ସହ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ପରେ ବୀକ୍ଷଣ କାଚ ଭିତରକୁ ଦେଖିଲି। ଯାହା ଦେଖିଲି ମୋର ବିସ୍ମୟର ସୀମା ରହିଲା ନାହିଁ। ଏହାକୁ ଶ୍ରୀଚନ୍ଦ୍ରଶେଖରଙ୍କ ଅଶେଷ କରୁଣା ମନେକଲି। କପିଳାସ ପର୍ବତ ଶ୍ରେଣୀର ଲମ୍ବ ପୂର୍ବରେ ଟାଙ୍ଗୀଠାରୁ ପଶ୍ଚିମରେ ବିରାଡ଼ିଆଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୨୫ କିଲୋମିଟର।
ମୁଁ ଦେଖିଲି ୨୫ ଲମ୍ବର ଏକ ସୁଦୀର୍ଘ ତାମ୍ରବର୍ଣ୍ଣ ଜ୍ୟୋତିର୍ମୟ ନାଗ ତଳେ ସୁପ୍ତ ଏବଂ ତାହାଙ୍କ ଶରୀରରୁ ଦିବ୍ୟଜ୍ୟୋତି ଉଦଭାସିତ। ମୋ ଶରୀରରେ ରୋମାଞ୍ଚ ସୃଷ୍ଟି ହେଲା ଏବଂ ହୃଦୟ ଅନିର୍ବଚନୀୟ ଆନନ୍ଦରେ ଭରିଗଲା। ଶ୍ରୀଚନ୍ଦ୍ରଶେଖର ମୋତେ ସାକ୍ଷାତ ଦର୍ଶନ ଦେଇ ଅଶେଷ କୃପା କରିଛନ୍ତି ବୋଲି ବିଚାରିଲି। ତାଙ୍କୁ ଶତକୋଟି ପ୍ରଣାମ ଜଣାଇଲି। ମନରେ ଆଉ ଭୟ ନଥାଏ। କୃପାମୟ ସେ। ମୋ ଉପରେ କୃପାକରି ଦର୍ଶନ ଦେଇଛନ୍ତି। ବୈଜ୍ଞାନିକ ଦୁଇଜଣ ଏପରି ଭୟାନକ ଦୃଶ୍ୟ ଦେଖିଥିଲେ ଯେ ଭୟରେ ଥରୁଥିଲେ।
ମୁଁ ହୃଦୟଙ୍ଗମ କଲି ସେମାନଙ୍କୁ ଠାକୁର କୃପା କରିନାହାନ୍ତି, ବରଂ ଭୟାନକ ଦୃଶ୍ୟ ଦେଖାଇ ଗବେଷଣାରୁ ଦୁରେଇ ଯିବାକୁ ପ୍ରଚ୍ଛନ୍ନ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କୃପାରେ ଶହ ଶହ ରୋଗୀ ଆରୋଗ୍ୟ ହେଉଛନ୍ତି। ସେହି କୃପାର ଶୁଭ୍ର ଅଭ୍ରକୁ ମାପିବାକୁ ବୈଜ୍ଞାନିକମାନେ ନିମିତ୍ତ ମାତ୍ର। ଧନ୍ୟ ଶ୍ରୀଚନ୍ଦ୍ରଶେଖର। ଧନ୍ୟ ତାଙ୍କ ଲୀଳା। ଆଉ ଥରେ ପ୍ରଣତି ଜଣାଇଲି। ସେହି ଦିନଠାରୁ ତାଙ୍କ ପ୍ରତି ମୋ ଭକ୍ତିର ଦୃଢତା ଆସିଗଲା। ସବୁ ତାଙ୍କରି କରୁଣା।