ଢେଙ୍କାନାଳ: ରେଡିଓ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି । ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ ।
ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ରେଡିଓ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ରେଡିଓ ଦିବସ ଅବସରରେ ‘ରେଡିଓ ଓ ବିଶ୍ୱାସ\’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଛି ।
ଏଥିରେ ବକ୍ତା ଭାବେ ଯୋଗ ଦେଇ ଶ୍ରୀ ମିତ୍ତଲ କହିଛନ୍ତି, ରେଡ଼ିଓରେ ଯେଉଁ ଖବର ଆସେ ଲୋକେ ତାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି । କାରଣ ରେଡିଓରେ ଯେକୌଣସି ଖବର ଯେଉଁଠୁ ବି ଆସୁ ପ୍ରଥମେ ତାହା ସୂତ୍ରରୁ ଯାଞ୍ଚ କରାଯିବା ପରେ ଯାଇ ପ୍ରସାରଣ କରାଯାଏ । ରେଡିଓ ସବୁବେଳେ ସତ ସୂଚନା ଓ ତଥ୍ୟକୁ ବିଭିନ୍ନ ସୂତ୍ର ମାଧ୍ୟମରେ ଯାଞ୍ଚ କରିଥାଏ ।
ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷଙ୍କୁ ସୂଚନାର ସଠିକତା ନେଇ ପ୍ରଶ୍ନ କରେ । ଏଣୁ ଅନ୍ୟ କେହି ଖବରଟି ସତ କି ନାହିଁ ତାହା ନିଶ୍ଚିତ ହେବା ପାଇଁ ଖବରଟି ରେଡିଓରେ ଆସିଛି କି ନାହିଁ ତାହା ପ୍ରଶ୍ନ କରନ୍ତି । ଏଥିରୁ ଜଣାପଡେ ରେଡିଓ କେତେ ବିଶ୍ୱସନୀୟ । ତେବେ ରେଡିଓ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବା ଏକ କଳା । ଉଭୟ ଲେଖା ଓ ସ୍ୱରରେ ସୃଜନଶୀଳତା ଆବଶ୍ୟକ । କାରଣ ରେଡିଓରେ ଶୁଣିବା ବେଳେ କେହି ଯେମିତି କାନ ପାଖରେ ଆସି କିଛି କହୁଛି ବୋଲି ଅନୁଭବ ହୁଏ । ଏଥିପାଇଁ ଛାତ୍ରଛାତ୍ରୀମାନେ ଏ ଦିଗରେ ଗୁରୁତ୍ୱ ଦେବା ଦରକାର ।
ସେହିପରି ଆକାଶବାଣୀ କଟକର ଷ୍ଟେସନ ନିର୍ଦ୍ଦେଶକ ତରୁଣ ରାଉତ କହିଛନ୍ତି, ରେଡିଓ ବେଶ୍ ଅନ୍ତରଙ୍ଗ ମାଧ୍ୟମ । ଏହା ସାଧାରଣ ଲୋକଙ୍କ ଭଲ ବନ୍ଧୁ । ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ରେଡିଓ ହିଁ ଠିଆ ହୁଏ । ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ, ହୁଡହୁଡ, ଜୱାଦ୍ ପର୍ଯ୍ୟନ୍ତ ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ଜରୁରୀ ସୂଚନା ଦେଇଥାଏ । ବିପର୍ଯ୍ୟୟ ବେଳେ କଣ କରିବା ଉଚିତ, କଣ କରିବା ଅନୁଚିତ ତାର ସୂଚନା ମଧ୍ୟ ଦେଇଥାଏ । ରେଡିଓ ଆଜି ମଧ୍ୟ ସମସ୍ତଙ୍କର ବିଶ୍ୱାସଭାଜନ ହୋଇ ରହିଛି ।
ଆଇଆଇଏମ୍ସି ନୂଆଦିଲ୍ଲୀର ପ୍ରଫେସର ସଙ୍ଗୀତା ପ୍ରାଣଭେନ୍ଦ୍ର କହିଛନ୍ତି, ଗଣମାଧ୍ୟମର ଏକ ଶ୍ରେଷ୍ଠ ମାଧ୍ୟମ ହେଉଛି ରେଡିଓ । ଖବର ହେଉ କି ବିକାଶମୂଳକ କାର୍ଯ୍ୟକ୍ରମ ସବୁଥିରେ ଏହା ପ୍ରାସଙ୍ଗିକ ଓ ଜରୁରୀ ସୂଚନା ଦେଇଥାଏ । ଏହାର ବ୍ୟବହାର ସୁବିଧାଜନକ ଏବଂ ପ୍ରତ୍ୟକ୍ଷ । ଏହା ବ୍ୟାପକ ଅଞ୍ଚଳରେ ପହଞ୍ଚି ପାରିଛି । ଏବଂ ରେଡିଓ ତତକ୍ଷଣାତ୍ ସୂଚନା ଦିଏ । ଲୋକମାନଙ୍କୁ ସେବା କରିବା ପାଇଁ ଏହା ଯୋଗାଯୋଗର ଉତ୍ତମ ମାଧ୍ୟମ ଭାବରେ ଛିଡ଼ା ହୋଇଛି । ଆଜିକାଲି ଗୋଷ୍ଠୀ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କୁ ଏକତ୍ରିତ କରିବା ସହ ଗଣମାଧ୍ୟମ ଓ ବ୍ୟକ୍ତିଙ୍କ ଭିତରେ ସୁସମ୍ପର୍କ ସ୍ଥାପନ ଦିଗରେ ଗୋଷ୍ଠୀ ବେତାର କାର୍ଯ୍ୟ କରେ । ଏଣୁ ଗୋଷ୍ଠୀ ରେଡିଓକୁ ଭାରତ ସରକାର ସମସ୍ତ ପ୍ରକାର ସହାୟତା ଯୋଗେଇ ଦେଉଛନ୍ତି ବୋଲି ସେ କହିଛନ୍ତି ।
ବିଶିଷ୍ଟ ଲେଖକ ତଥା ରେଡିଓ ପ୍ରଯୋଜକ ମାନସ ପ୍ରତୀମ୍ ଦାସ କହିଛନ୍ତି, ରେଡିଓଠାରୁ ଇଣ୍ଟରନେଟ୍ ରେଡିଓ କିଛି ଭିନ୍ନ ନୁହେଁ । କେବଳ ଯାହା ଟେକ୍ନୋଲୋଜି ନୂଆ, କିନ୍ତୁ ରେଡିଓର ନୀତି ନିୟମ ଏକା । ଏମିତିକି ରେଡିଓ ପରି ଇଣ୍ଟରନେଟରେ ମଧ୍ୟ ଏକା ପ୍ରକାରରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ । ଆଜିକାଲିର ଯୁବ ବର୍ଗମାନେ ବିଶେଷତଃ ଇଣ୍ଟରନେଟ୍ ରେଡିଓ ଶୁଣୁଛନ୍ତି ।
ରେଡିଓ ଭୁବନେଶ୍ୱରର ପ୍ରତିଷ୍ଠାତା ସୁବ୍ରତ ପତି କହିଛନ୍ତି, ବର୍ତ୍ତମାନ ପ୍ରସାରଣ କ୍ଷେତ୍ରରେ ରେଡିଓ ଏକ ନୂଆ ଯୁଗ ଆରମ୍ଭ କରିଛି । କେବଳ ମାଧ୍ୟମ ଯାହା ବଦଳିଛି । ଇଣ୍ଟରନେଟ ରେଡିଓ, ଗୋଷ୍ଠୀ ବେତାର, ପଡ୍କାଷ୍ଟ ଓ ବିଭିନ୍ନ ଆପ୍ ମାଧ୍ୟମରେ ଶ୍ରାବ୍ୟ ବିଷୟବସ୍ତୁର ଆଦର ବଢ଼ିବାରେ ଲାଗିଛି । ଏବେ ରେଡିଓ ନୂଆ ରୂପରେ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି ଓ ଯୋଡ଼ି ହେଇ ରହିପାରୁଛି । ଅର୍ଥାତ୍ ଉତ୍ତମ ମାନର ଶ୍ରାବ୍ୟ ବିଷୟବସ୍ତୁ ଶୁଣିବାକୁ ଲୋକେ ଖୁବ୍ ଇଚ୍ଛା ପ୍ରକାଶ କରୁଛନ୍ତି । ଆଗକୁ ଲୋକଙ୍କ ରୁଚି ଅନୁସାରେ ସ୍ୱତନ୍ତ୍ର ରେଡିଓ ଚ୍ୟାନେଲ ଖୋଲିବ । ଯାହା ରେଡିଓର ଲୋକପ୍ରିୟତାକୁ ଆହୁରି ବଢ଼େଇବ ବୋଲି ସେ ପ୍ରକାଶ କରିଛନ୍ତି ।
ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟରେ କହିଛନ୍ତି, ଗତ ୧୨୦ ବର୍ଷ ହେବ ରେଡିଓ ଆମ ସହ ଅଛି । ଏହା ଏକ ଅନ୍ତରଙ୍ଗ ଗଣ ଯୋଗାଯୋଗ ମାଧ୍ୟମ । ଲୋକଙ୍କୁ ଏକାଠି କରିବାରେ ରେଡିଓର ଉଲ୍ଲେଖନୀୟ ଅବଦାନ ରହିଛି । ସ୍ୱାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ରେଡିଓ ଓ ଆଜାଦ ହିନ୍ଦ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଜି ମଧ୍ୟ ସାମାଜିକ ଗଣମାଧ୍ୟମ ଯୁଗରେ ସବୁ ସମୟରେ ରେଡିଓ ଗଣ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଭାବେ ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଆଇଆଇଏମ୍ସି ଢେଙ୍କାନାଳର ଇଂରାଜୀ ଏବଂ ଓଡ଼ିଆ ସାମ୍ୱାଦିକତା ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କ ଦ୍ୱାରା ରେଡିଓର ଇତିହାସ ଉପରେ ପ୍ରସ୍ତୁତ ଅଡିଓ ଫିଚର ପରିବେଷିତ ହୋଇଥିଲା । ଏହାସହ ବିଶ୍ୱ ରେଡିଓ ଦିବସ ଉପରେ ରେଡିଓ ଭୁବନେଶ୍ୱରର ସ୍ୱତନ୍ତ୍ର ଫିଚର ମଧ୍ୟ ପରିବେଷିତ ହୋଇଥିଲା । ଆଇଆଇଏମ୍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରେଡିଓ ଭୁବନେଶ୍ୱରର ଶାଶ୍ୱତୀ କର ଧନ୍ୟବାଦ ଦେଇଥିଲେ ।