Take a fresh look at your lifestyle.

ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ

“ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ  ହିନ୍ଦୁସ୍ଥାନ”

0 78

ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ ଭାରତରେ ଖଳନାୟକ ସଜାଇବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କେନ୍ଦ୍ରରେ କ୍ଷମତାରେ ଥିବା ଦଳ ଓ ତାହାପଛରେ ରହିଥିବା ସାମ୍ପ୍ରଦାୟିକ ଶକ୍ତି ଚଳାଇଛନ୍ତି ।

ପଚସ୍ତରୀ ବର୍ଷ ତଳେ ଯେଉଁମାନେ ଗାନ୍ଧୀଜୀଙ୍କର ରକ୍ତରେ ନିଜର ତୃଷା ମେଣ୍ଟାଇଥିଲେ, ସେମାନେ ଆଜି ଆମ ଦେଶବାସୀଙ୍କ ରକ୍ତ ପିଇବାକୁ ଆଗଭର ହୋଇଛନ୍ତି । ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ହରିଦ୍ଵାର ଓ ରାୟପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧର୍ମୀମାନେ ଧର୍ମ ନାଁରେ ଅଧର୍ମ ସଭା କରି ସଂଖ୍ୟାଲଘୁଙ୍କ ବିରୋଧରେ ବିଷୋଦଗାର କରିବା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ ।

ଭାରତ ଭଳି ଏକ ମହାନ ଦେଶର ସଂସ୍କୃତି, ଭାଇଚାରା, ବିବିଧତା, ଏକତା ଓ ଅଖଣ୍ଡତା ପ୍ରତି ବିପଦ ଏହି ସାମ୍ପ୍ରଦାୟିକ ଦେଶ ବିଭାଜନକାରୀ ଶକ୍ତିଙ୍କୁ ଉଚିତ ଜବାବ ଦେବା ସହ ଦେଶର ଶାନ୍ତିକାମୀ ଜନଗଣଙ୍କୁ ଜାଗ୍ରତ କରାଇବା ଲକ୍ଷରେ ଗାନ୍ଧୀଜୀଙ୍କୁ ରାଷ୍ଟ୍ରପିତା ବୋଲି ଅଭିହିତ କରିଥିବା ନେତାଜୀ ସୁଭାଷଙ୍କ ଜନ୍ମ ଦିବସ ଆଗାମୀ ଆଗାମୀ ୨୩ ଜାନୁଆରୀ ଠାରୁ ଗାନ୍ଧୀଜୀଙ୍କ ବଳିଦାନ ଦିବସ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତିଙ୍କ ବିରୋଧରେ ଓଡିଶା ବ୍ୟାପୀ ଆୟୋଜିତ ହେବ ରାଷ୍ଟ୍ରୀୟ ଅଭିଯାନ “ରାଷ୍ଟ୍ରପିତାଙ୍କ ଅପମାନ – ସହିବ ନାହିଁ ହିନ୍ଦୁସ୍ଥାନ” ବୋଲି ରାଷ୍ଟ୍ରୀୟ ସ୍ତରରେ ନିର୍ଣ୍ଣୟ ହୋଇଛି ।

ଏହା ବୁଝିବା ଜରୁରୀ ଯେ, ଯେଉଁ ଗାନ୍ଧୀଙ୍କୁ ସେମାନଙ୍କର ଗୁଳି ଖତମ କରିପାରିନାହିଁ, ଗାଳିରେ ସେ କେମିତି ଖତମ ହେବେ ? ବାସ୍ତବତା ହେଉଛି, ମହାତ୍ମାଙ୍କ ପ୍ରତି ସାମ୍ପ୍ରଦାୟିକ ଶକ୍ତିଙ୍କର ଏଭଳି ଅଶୋଭନୀୟ ଆଚରଣ ଯୋଗୁଁ ବିଶ୍ଵରେ ଭାରତର ଛବି ମଳିନ ହେଉଛି ।
ଏହିଭଳି ଏକ ସଂକଟମୟ ପରିସ୍ଥିତିରେ ଭାରତର ଜନଗଣଙ୍କୁ ଆଗକୁ ଆସି ଗଣତନ୍ତ୍ରକୁ ରକ୍ଷା କରିବାକୁ ପଡିବ । କାରଣ ଦେଶବାସୀ ହିଁ ସମ୍ବିଧାନର ସୃଷ୍ଟିକର୍ତ୍ତା ଓ ରକ୍ଷାକର୍ତ୍ତା ।

ଦେଶବାସୀ ହିଁ ସରକାର, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ସୃଷ୍ଟି କରିଛନ୍ତି ଏବଂ ମାନ୍ୟତା ଦେଇଛନ୍ତି । ଆଜିର ଏହି ବିକଟ ପରିସ୍ଥିତିରେ ଦେଶବାସୀ ଏକଜୁଟ ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଯେକୌଣସି ତ୍ୟାଗ କରିବା ସମୟର ଆହ୍ଵାନ । ଗଣତନ୍ତ୍ର ଭୁଷୁଡିପଡିଲେ ଦେଶବାସୀ ସ୍ଵାଧୀନ ଭାବରେ ବଞ୍ଚିପାରିବେ ନାହିଁ ।

ଓଡିଶାର ସମସ୍ତ ଜିଲ୍ଲାରେ ଶତାଧୀକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଗାନ୍ଧୀବାଦୀ ସଙ୍ଗଠନ ସମୂହଙ୍କ ସମେତ ବିଭିନ୍ନ ଗଣତନ୍ତ୍ରପ୍ରେମୀ, ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ସଙ୍ଗଠନମାନେ ଆୟୋଜିତ କରି ଧର୍ମାନ୍ଧ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଦୃଢ ଜବାବ ଦିଆଯିବ ବୋଲି  ଲୋହିଆ ଏକାଡ଼େମୀଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ଡଃ ବିଶ୍ଵଜିତ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ରାମ ଶଙ୍କର ରାମ, ମାନସ ପଟ୍ଟନାୟକ ପ୍ରମୁଖ ଜଣାଇଛନ୍ତି ।

- Advertisement -

Leave A Reply

Your email address will not be published.