Take a fresh look at your lifestyle.

ଢିଙ୍କିଆରେ ପୋଲିସ ଆକ୍ରମଣର ତୀବ୍ର ନିନ୍ଦା, ପୋଲିସ ପ୍ରତ୍ୟାହାର ପାଇଁ ଦାବୀ କଲେ ଗାନ୍ଧୀବାଦୀ

0 46

ଭୁବନେଶ୍ଵର : ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରି ନିଜର ଭିଟାମାଟି ବଞ୍ଚାଇବା ପାଇଁ ପାରାଦୀପ ନିକଟସ୍ଥ ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତର ଗ୍ରାମବାସୀ ଦୀର୍ଘଦିନ ଧରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିଆସୁଛନ୍ତି । ଏହା ପୂର୍ବରୁ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ବିରୋଧ କରି ସେମାନେ ଏଠାରୁ ସେହି ପ୍ରକଳ୍ପକୁ ହଟାଇଥିଲେ ।

ଲୋକେ ନିଜର ଭିଟାମାଟି, ଧାନ, ପାନ, ମୀନ, କାଜୁ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଉତ୍ପାଦନ କରି ଖୁବ ଆନନ୍ଦରେ ବସତି ସ୍ଥାପନ କରିଛନ୍ତି । ଏପରିକି ଏହି ସମୃଦ୍ଧ ଅଞ୍ଚଳରୁ ଦାଦନ ଖଟିବା ପାଇଁ ଲୋକେ ବାହାରକୁ ଯିବା ବଦଳରେ ଅନ୍ୟ ଜିଲ୍ଲାମାନଙ୍କରୁ ଲୋକେ ଏଠାକୁ ଆସି ରୋଜଗାର ପାଇଥାନ୍ତି ।

ଦୀର୍ଘଦିନ ଧରି ବିଭିନ୍ନ କଳକୌଶଳ ପ୍ରୟୋଗ ସତ୍ତ୍ୱେ ସ୍ଥାନୀୟ ଲୋକେ କୌଣସି ପ୍ରଲୋଭନର ବଶବର୍ତ୍ତୀ ନହୋଇ ଗାଁ କମିଟି ମାଧ୍ୟମରେ ବ୍ୟାରିକେଡ଼ ନିର୍ମାଣ କରି ନିଜ ନିଜ ଗାଁମାନଙ୍କୁ ଜଗି ରହିଛନ୍ତି । ଭାରତର ସମ୍ବିଧାନ ତାହାର ପ୍ରତ୍ୟେକ ନାଗରିକକୁ ଗଣତାନ୍ତିକ ଉପାୟରେ ପ୍ରତିବାଦ କରିବାକୁ ଅଧିକାର ଦେଇଥିବା ସତ୍ତ୍ୱେ ଓଡିଶା ସରକାରର ପୋଲିସ ଆଜି ଢିଙ୍କିଆ ଗାଁରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ। ବ୍ରିଟିଶ କାଳ ଭଳି ସ୍ଥାନୀୟ ପ୍ରଶାସନ ଢିଙ୍କିଆରେ ପ୍ରବେଶ କରି ଅବିଚାରିତ ଭାବେ ଲାଠିଚାଳନା କରିଛି ।

ଫଳରେ ଅନେକ ଶିଶୁ କିଶୋରଙ୍କ ସମେତ ମହିଳା, ବୃଦ୍ଧା ଓ ପୁରୁଷମାନେ ଗୁରୁତର ଆହତ ହୋଇଛନ୍ତି । ଏପରିକି ଆହତମାନଙ୍କୁ ଚିକିତ୍ସା ପାଇଁ ଆସିଥିବା ଆମ୍ବୁଲାନ୍ସଗୁଡିକୁ ମଧ୍ୟ ପୋଲିସ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ଵରେ ଫେରାଇ ଦେଇଛି।

ଗାନ୍ଧୀବାଦୀ ସମୂହ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ, ସର୍ବ ସେବା ସଂଘ ପକ୍ଷରୁ କୃଷ୍ଣା ମହାନ୍ତି, ପୋସ୍କୋ ବିରୋଧୀ ନେତା ଡଃ ବିଶ୍ଵଜିତ, ସୂର୍ଯ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ, ଆଦ୍ୟଶ୍ଳୋକ ମିଶ୍ର, ସାଗର ଦାସ ପ୍ରମୁଖ ପୋଲିସ ଅତ୍ୟାଚାରର ଦୃଢ ନିନ୍ଦା କରିବା ସହିତ ସ୍ଥାନୀୟ ଅଞ୍ଚଳରୁ ପୋଲିସ ପ୍ରତ୍ୟାହାର ପାଇଁ ଦାବୀ କରିଛନ୍ତି। ଏଥିସହ ଆଜିର ନୃଶଂସ ଦମନଲୀଳା ବିରୋଧରେ ମୁଖ୍ୟମନ୍ତ୍ରୀ ସାଧାରଣରେ ବିବୃତ୍ତି ରଖନ୍ତୁ ବୋଲି ଏକ ପ୍ରେସ ବିବୃତ୍ତି ଯୋଗେ ଦାବୀ କରିଛନ୍ତି ।

- Advertisement -

Leave A Reply

Your email address will not be published.