Take a fresh look at your lifestyle.

ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି

ଘରୋଇ ପରିଚାରିକା ଆଇନ୍ ପ୍ରଣୟନ ପାଇଁ ରାଜ୍ୟସ୍ତରୀୟ ସମ୍ମିଳନୀ

0 9

ଭୁବନେଶ୍ୱର : ନିର୍ମଳା ନିକେତନ ଦିଲ୍ଲୀ ତରଫରୁ ଘରୋଇ ପରିଚାରିକା ମାନଙ୍କ ଆଇନ୍ ପ୍ରଣୟନ ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ, ଘରୋଇ ପରିଚାରିକା ମାନଙ୍କ ସମସ୍ୟା ଏକ ବଡ଼ ସମସ୍ୟା, ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରି ଆଇନ ଯେଭଳି ଖୁବ୍ ଶୀଘ୍ର ପ୍ରଣୟନ କରାଯିବ, ସେଥିପାଇଁ ଶ୍ରମମନ୍ତ୍ରୀ ଏବଂ ଶ୍ରମ କମିଶନଙ୍କ ସହିତ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଥିଲେ ।

ନିର୍ମଳା ନିକେତନର ଲିଗାଲ ପରାମର୍ଶଦାତା ଶୁଭାଶିଷ ଭଟ୍ଟନଗର କହିଥିଲେ ଯେ, ସାରା ଦେଶରେ ଘରୋଇ ପରିଚାରିକା ମାନଙ୍କର ସମସ୍ୟା ଏକ ଜଟିଳ ରୂପ ଧାରଣ କରିଛି, ଫଳରେ ଘରୋଇ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ବଢି ଚାଲିଛି । ଏଥିରୁ ମୁକ୍ତି ମିଳିବାକୁ ହେଲେ ଆଇନ୍ ପ୍ରଣୟନ ଜରୁରୀ । ଏହି କାର୍ଯ୍ୟକ୍ରମକୁ କୋଅର୍ଡ଼ିନେଟର ଚିନ୍ମୟ ସାମଲ ପରିଚାଳନା କରିଥିବା ବେଳେ ବିଜ୍ଞାନୀ ସହଯୋଗ କରିଥିଲେ । ଏହା ବ୍ୟତୀତ ଓଡ଼ିଶାର ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡ଼ା, ଭୁବନେଶ୍ୱର, କଟକ ଓ ପୁରୀ ସମେତ ବହୁ ଜିଲ୍ଳାର ଘରୋଇ ପରିଚାରିକା ମାନେ ଯୋଗ ଦେଇଥିଲେ ।
ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ଘରୋଇ ପରିଚାରିକା ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ସମ୍ମିଳନୀକୁ ପରିଚାଳନା କରିଥିବା ବେଳେ ପରିନତା, ମଞ୍ଜୁଲତା, ସୁଷମା, ସିଷ୍ଟର ସୋଫିଆ, ଲକ୍ଷ୍ମୀପ୍ରିୟା ମହାନ୍ତି, ସିଟୁର ରମେଶ ଚନ୍ଦ୍ର ଜେନା, ‘ଅକ୍ଷର’ର ସମ୍ପାଦକ ଅମୀୟ ପାଣ୍ଡବ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏକ ସାତଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ସହିତ ଘରୋଇ ପରିଚାରିକା ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯିବ । ଶେଷରେ ମଧୁସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.